ଓଡ଼ିଆ ଭାଷାର ଇତିହାସ ଓ ବର୍ତ୍ତମାନ ସ୍ଥିତି

ଓଡ଼ିଆ ଭାଷାର ଉତ୍ପତ୍ତି ପ୍ରାୟ ୨୫୦୦ ବର୍ଷ ପୂର୍ବେ ହୋଇଥିବା ଜଣାଯାଏ। ଓଡ଼ିଆ ଭାଷାର ବିବର୍ତ୍ତନ-ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ପୂର୍ବମାଗଧୀ ପ୍ରାକୃତ ସହିତ ଅଷ୍ଟ୍ରିକ ଓ ଦ୍ରାବିଡ଼ ଭାଷାର ମିଶ୍ରଣ ଘଟି ଖ୍ରୀ: ୨୦୦ ବେଳକୁ ‘ଔଡ୍ରୀ ବିଭାଷା’ ବା ‘ଉଡ୍ରଜା’ ନାମକ ପ୍ରାକୃତ ଭାଷାର ଯେଉଁ ଉନ୍ମେଷ ଘଟିଥିଲା, ତା’ର ସ୍ପଷ୍ଟ ସୂଚନା ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରୁ ଉପଲବ୍ଧ ହୋଇଥାଏ। ଯଥା:

“ଶକାରାଭୀର-ଚଣ୍ଡାଳ-ଶବର-ଦ୍ରାବିଡ଼ୋଦ୍ରଜାଃ,
ହୀନା ବନେଚରାଣଂ ଚ ବିଭାଷା ନାଟକେ ସ୍ମୃତାଃ”

ଏହି ‘ଉଡ୍ର ବିଭାଷା’ ବା ‘ଉଡ୍ରଜା ପ୍ରାକୃତ’ରୁ ଖ୍ରୀ: ପ୍ରାୟ ୭ମ ଶତାବ୍ଦୀ ବେଳକୁ ‘ଔଡ୍ରୀ ଅପଭ୍ରଂଶ’ର ଉନ୍ମେଷ ଘଟିଲା; ଯାହାକୁ ‘ପୂର୍ବ-ମାଗଧୀ ଅପଭ୍ରଂଶ’ର ଅନ୍ୟତମ ଶାଖା ରୂପେ ଗ୍ରହଣ କରାଯାଏ। ଏଥିରୁ ପ୍ରାୟ ଦଶମ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷାର ସ୍ବତନ୍ତ୍ର ରୂପ ଆତ୍ମପ୍ରକାଶ ଲାଭ କରିଥିଲା। ପ୍ରାୟ ପଞ୍ଚଦଶ ଶତାବ୍ଦୀର ଅୟମାରମ୍ଭ ବେଳକୁ ପ୍ରାଚୀନ ଓଡ଼ିଆ ଭାଷାର ଦ୍ରୁତ ବିକାଶ ଘଟି ଏହା ସାହିତ୍ୟ ସୃଷ୍ଟି ନିମନ୍ତେ ପ୍ରଚୁର ଶକ୍ତି ଲାଭ କରି ସାରିଥିଲା। ଏହାକୁ ଉପଜୀବ୍ୟ କରି ସାରଳା ଦାସ ପ୍ରାୟ ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଅଷ୍ଟାଦଶ ପର୍ବବିଶିଷ୍ଟ ବିରାଟକାୟ ‘ମହାଭାରତ’ ଗ୍ରନ୍ଥ ରଚନା କରିବାରେ ସମର୍ଥ ହୋଇଥିଲେ। ଏହି ଗ୍ରନ୍ଥ ମଧ୍ୟ ଦେଇ ପ୍ରାଚୀନ ଓଡ଼ିଆ ଭାଷା ସାହିତ୍ୟିକ ଭାଷାର ଯଥାର୍ଥ ମର୍ଯ୍ୟାଦା ଲାଭ କରିପାରିଥିଲା। ପରବର୍ତ୍ତୀ ସମୟରେ ଷୋଡ଼ଶ ଶତାବ୍ଦୀରେ ଜଗନ୍ନାଥ ଦାସ ‘ଭାଗବତ’ ଗ୍ରନ୍ଥର ରଚନା ମାଧ୍ୟମରେ ଓଡ଼ିଆ ଭାଷାକୁ ସର୍ବଜନବୋଧ୍ୟ ମାନକ ରୂପ ପ୍ରଦାନ କରିଥିଲେ।

ବିଶିଷ୍ଟ ଓଡ଼ିଆ ଭାଷା ଗବେଷକ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ଦ୍ୱାରା ଲିଖିତ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ‘ଓଡ଼ିଆ ଲିପିର କ୍ରମବିକାଶ’ ପୁସ୍ତକ ଓ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ପକ୍ଷରୁ ଡ କୁଞ୍ଜବିହାରୀ ତ୍ରିପାଠୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଓଡ଼ିଆ ଭାଷା ତତ୍ତ୍ୱ ଓ ଲିପିର ବିକାଶ’ ଅନୁଯାୟୀ ଓଡ଼ିଆ ଲିପି ପ୍ରାଚୀନ ଭାରତର ବ୍ରାହ୍ମୀଲିପିରୁ ବିବର୍ତ୍ତିତ ହୋଇ ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରୁ ଆରମ୍ଭ କରି ୧୪ଶ ଶତାବ୍ଦୀ ପର୍ଯ୍ୟନ୍ତ ନିମ୍ନଲିଖିତ ସ୍ତରରେ ଗତି କରିଛି। ଓଡ଼ିଶା ଏବଂ ଭାରତର ବିଭିନ୍ନ ଅଞ୍ଚଳରୁ ପ୍ରାପ୍ତ ଅନେକ ଶିଳାଲେଖ ଓ ତାମ୍ରଲେଖରୁ ଏ ସମ୍ପର୍କୀତ ପ୍ରମାଣ ଓ ତଥ୍ୟ ମିଳିଛି।

  • ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରୁ ଆରମ୍ଭ କରି ଖ୍ରୀଷ୍ଟାବ୍ଦ ୩ୟ ଶତାବ୍ଦୀ ପର୍ଯ୍ୟନ୍ତ ବ୍ରାହ୍ମୀଲିପି
  • ଖ୍ରୀଷ୍ଟାବ୍ଦ ୩ୟ ଶତାବ୍ଦୀଠାରୁ ୬ଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଗୁପ୍ତଲିପି
  • ୬ଷ୍ଠ ଶତାବ୍ଦୀରୁ ୧୧ଶ ଶତାବ୍ଦୀ ପର୍ଯ୍ୟନ୍ତ ସୂକ୍ଷ୍ମକୋଣ ଲିପି
  • ୧୧ଶ ଶତାବ୍ଦୀରୁ ୧୪ଶ ଶତାବ୍ଦୀ ପର୍ଯ୍ୟନ୍ତ ମାଗଧୀ ଲିପି
  • ୧୪ଶ ଶତାବ୍ଦୀରୁ ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାଚୀନ ଓଡ଼ିଆ ଲିପି ଓ ପ୍ରତ୍ନ ଓଡ଼ିଆ ଲିପି ମାଧ୍ୟମରେ ଓଡ଼ିଆ ଲିପିର କ୍ରମବିକାଶ ହୋଇଛି।
  • ୧୬ଶ ଶତାବ୍ଦୀଠାରୁ ଅଦ୍ୟାବଧି ଆଧୁନିକ ଓଡ଼ିଆ ଲିପି ବିକଶିତ ହୋଇଛି।
  • ବିଗତ ୨୩୦୦ ବର୍ଷ ମଧ୍ୟରେ ଓଡ଼ିଆ ଲିପି ବିବର୍ତ୍ତନ ଧାରାରେ ଗତି କରି କୀଳକ ଲିପି, ସୂକ୍ଷ୍ମକୋଣ ଲିପି, ଚତୁଷ୍କୋଣୀୟ ଲିପି ଆଦି ମାଧ୍ୟମରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ବର୍ତ୍ତୃଳ ବା ଗୋଲାକାର ଲିପିରେ ପହଞ୍ଚିଛି।

ତାଳପତ୍ର ପୋଥିରୁ ହାତ ଲେଖା କାଗଜ, ମୁଦ୍ରିତ କାଗଜ ହୋଇ ସମ୍ପ୍ରତି ଓଡ଼ିଆ ଲିପିର ବ୍ୟବହାର ଇଣ୍ଟରନେଟ୍‌ ଯୁଗରେ ପହଞ୍ଚିଛି। ବର୍ତ୍ତମାନ ସମୟରେ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ଭଳି ଓଡ଼ିଆ ଲିପିକୁ କମ୍ପୁଟର୍‌, ଇଣ୍ଟରନେଟ୍‌, ମୋବାଇଲ୍‌ ସହିତ ସାମାଜିକ ଗଣମାଧ୍ୟମଗୁଡ଼ିକରେ ବ୍ୟବହାର କରାଯାଉଛି। ମାନକ ଓଡ଼ିଆ ଲିପି ଲେଖିବା ପାଇଁ ୧୦୦ ବର୍ଷ ପୂର୍ବେ ମଧୁସୂଦନ ରାଓଙ୍କ ଦ୍ବାରା ଲିଖିତ ବର୍ଣ୍ଣବୋଧ ବହି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡ଼ିଆରେ ଲିଖିତ ଭିନ୍ନ ଭିନ୍ନ ପ୍ରକାରର ଲେଖାଗୁଡ଼ିକ ମୁଖ୍ୟତଃ ବର୍ଣ୍ଣବୋଧରେ ବର୍ଣ୍ଣନା ହୋଇଥିବା ଅକ୍ଷର, ମାତ୍ରା ଓ ଯୁକ୍ତାକ୍ଷର ଉପରେ ପର୍ଯ୍ୟବସିତ।

୧୯୫୪ ମସିହାରୁ ଓଡ଼ିଆ ଭାଷାକୁ ସରକାରୀ ଭାଷାଭାବେ ମାନ୍ୟତା ଦେବା ନିମନ୍ତେ ଉଦ୍ୟମ ହୋଇଆସୁଛି। ଗତ କିଛି ବର୍ଷ ହେଲା ସରକାରୀସ୍ତରରେ ଓଡ଼ିଆ ଭାଷାର ବ୍ୟବହାର କିଛିମାତ୍ରାରେ ବୃଦ୍ଧି ପାଇଛି। ଏହି କ୍ରମରେ କମ୍ପ୍ୟୁଟର୍‌ ଓ ଇଣ୍ଟରନେଟ୍‌ରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାର ବଢ଼ିବାରେ ଲାଗିଛି। ବିଶେଷ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ବିଭିନ୍ନ ସ୍ତରରେ ବହୁବିଧ ଉଦ୍ୟମ ଜାରି ରହିଛି। ଯେକୌଣସି ଭାଷା ଲୋକଭାଷା ହେବା ପାଇଁ ଯେଉଁ ପ୍ରୟାସ ଲୋଡ଼ା ସେତିକି ଓଡ଼ିଆ ଭାଷା କ୍ଷେତ୍ରରେ ପରିଦୃଷ୍ଟ ହୋଇନାହିଁ୤ ସେଥିପାଇଁ ବହୁ କାରଣ ଭିତରୁ ଗୋଟିଏ ହେଉଛି ମାନକ ଅଭିଧାନଭୁକ୍ତ ଭାଷାରେ ତାହା ପରିଣତ କରିବା ଏବଂ ଉଚ୍ଚଶିକ୍ଷା (ଓଡ଼ିଆ ମାଧ୍ୟମ ) ସହିତ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର। ଏହିସବୁ କାରଣରୁ ଓଡ଼ିଆ ଏପର୍ଯ୍ୟନ୍ତ ଜୀବନ ଓ ଜୀବିକାର ଭାଷା ହୋଇପାରିନାହିଁ। ଲୋକପ୍ରିୟତା ହେଉଛି ଭାଷାର ଜୀବନରସ। ତେଣୁ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଅଧିକରୁ ଅଧିକ ଉଦ୍ୟମ ହେବାର ଆବଶ୍ୟକତା ରହିଛି।